Ezekiel 19 in Oriya

1 ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,

2 “ତୁମ୍ଭର ମାତା କଅଣ ଥିଲା ? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା।

3 ତାହାର ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା; ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।

4 ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରା ପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ୱାରା ତାହାକୁ ମିସର ଦେଶକୁ ଆଣିଲେ।

5 ଅପେକ୍ଷା କରି ଆପଣା ଆପଣା ଆଶା ବିଫଳ ହେବାର ଦେଖି ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିଏ ନେଇ ତାକୁ ଯୁବା ସିଂହ କଲା।

6 ପୁଣି, ସେ ସିଂହମାନଙ୍କ ମଧ୍ୟରେ ଗତାୟାତ କରି ଯୁବା ସିଂହ ହୋଇ ଉଠିଲା; ଆହୁରି ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।

7 ଆଉ, ସେ ସେମାନଙ୍କର ଅଟ୍ଟାଳିକାସବୁ ଜାଣିଲା ଓ ସେମାନଙ୍କର ନଗରସବୁ ଉଜାଡ଼ କଲା; ଆଉ, ତାହାର ଗର୍ଜନର ଶବ୍ଦ ସକାଶୁ ଦେଶ ଓ ତହିଁର ପୂର୍ଣ୍ଣତାସକଳ ଶୂନ୍ୟ ହେଲା।

8 ତହିଁରେ ନାନା ପ୍ରଦେଶରୁ ଗୋଷ୍ଠୀୟମାନେ ଆସି ତାହାର ବିରୁଦ୍ଧରେ ଚାରିଆଡ଼େ ଉଠିଲେ; ଆଉ, ସେମାନେ ତାହାର ଉପରେ ଆପଣାମାନଙ୍କର ଜାଲ ପ୍ରସାରିଲେ; ସେ ସେମାନଙ୍କ ଗର୍ତ୍ତରେ ଧରା ପଡ଼ିଲା।

9 ଆଉ, ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରରେ ରଖି ବାବିଲ ରାଜା ନିକଟକୁ ନେଇଗଲେ; ଇସ୍ରାଏଲର ପର୍ବତସମୂହରେ ତାହାର ହୁଙ୍କାର ଶବ୍ଦ ଯେପରି ଆଉ ଶୁଣା ନ ଯାଏ, ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ।

10 ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।

11 ପୁଣି, କର୍ତ୍ତୃତ୍ୱକାରୀମାନଙ୍କର ରାଜଦଣ୍ଡ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା, ଗହଳ ଶାଖାମାନର ମଧ୍ୟରେ ସେହି ସବୁ ଦୀର୍ଘତାରେ ଉଚ୍ଚୀକୃତ ହୋଇଥିଲା, ଆଉ ସେହି ସବୁ ସ୍ୱ ଉଚ୍ଚତାରେ ଓ ଶାଖାର ବାହୁଲ୍ୟରେ ଦେଖାଗଲା।

12 ମାତ୍ର କୋପରେ ସେ ଉତ୍ପାଟିତ ହେଲା, ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ବାୟୁ ତାହାର ଫଳ ଶୁଷ୍କ କଲା; ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହେଲା; ଅଗ୍ନି ସେହି ସବୁକୁ ଗ୍ରାସ କଲା।

13 ପୁଣି, ଏବେ ସେ ପ୍ରାନ୍ତର ମଧ୍ୟରେ ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।

14 ଆଉ, ତାହାର ଶାଖା ଦଣ୍ଡସମୂହରୁ ଅଗ୍ନି ନିର୍ଗତ ହୋଇ ତାହାର ଫଳ ଗ୍ରାସ କରିଅଛି; ଏହେତୁ ରାଜଦଣ୍ଡ ହେବା ପାଇଁ ତାହାର ଗୋଟିଏ ଦୃଢ଼ ଶାଖା ନାହିଁ। ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।”