2 Chronicles 31 in Oriya

1 ଏହିସବୁ ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ସମଗ୍ର ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ ସ୍ତମ୍ଭସବୁ ଭାଙ୍ଗି ପକାଇଲେ ଓ ଆଶେରାମୂର୍ତ୍ତିମାନ କାଟି ପକାଇଲେ, ପୁଣି ନିଃଶେଷରେ ବିନାଶ ନ କରିବା ପର୍ଯ୍ୟନ୍ତ ସମସ୍ତ ଯିହୁଦା ଓ ବିନ୍ୟାମୀନ ମଧ୍ୟରୁ, ଆହୁରି ଇଫ୍ରୟିମ୍‍ ଓ ମନଃଶିରେ ସ୍ଥିତ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଭାଙ୍ଗି ପକାଇଲେ। ତହୁଁ ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ଓ ନଗରକୁ ଫେରି ଗଲେ।

2 ଆଉ, ହିଜକିୟ ଯାଜକମାନଙ୍କର ଓ ଲେବୀୟମାନଙ୍କର ପାଳିକ୍ରମେ ପାଳି ନିରୂପଣ କଲେ, ହୋମାର୍ଥକ ଓ ମଙ୍ଗଳାର୍ଥକ ବଳିଦାନ, ପରିଚର୍ଯ୍ୟା ଓ ସଦାପ୍ରଭୁଙ୍କ ଛାଉଣିର ଦ୍ୱାରସମୂହରେ ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପ୍ରତି ଜଣକୁ ତାହାର ସେବାନୁସାରେ ନିଯୁକ୍ତ କଲେ।

3 ମଧ୍ୟ ସେ ସଦାପ୍ରଭୁଙ୍କ ବ୍ୟବସ୍ଥାର ଲିଖନାନୁସାରେ ହୋମବଳି ନିମନ୍ତେ, ଅର୍ଥାତ୍‍, ପ୍ରଭାତୀୟ ଓ ସାୟଂକାଳୀନ ହୋମବଳି ନିମନ୍ତେ, ପୁଣି ବିଶ୍ରାମବାର ଓ ଅମାବାସ୍ୟା ଓ ନିରୂପିତ ପର୍ବାଦିର ହୋମବଳି ନିମନ୍ତେ ରାଜ ସମ୍ପତ୍ତିରୁ ଦେୟ ଅଂଶ ନିରୂପଣ କଲେ।

4 ଆହୁରି, ଯେପରି ଯାଜକଗଣ ଓ ଲେବୀୟଗଣ ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଆସକ୍ତ ରହିବେ, ଏଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅଂଶ ଦେବା ନିମନ୍ତେ ଯିରୂଶାଲମ ନିବାସୀ ଲୋକମାନଙ୍କୁ ଆଜ୍ଞା କଲେ।

5 ପୁଣି, ଏହି ଆଜ୍ଞା ଘୋଷିତ ହେବାକ୍ଷଣେ ଇସ୍ରାଏଲ ସନ୍ତାନନଗଣ ପ୍ରଚୁର ରୂପେ ପ୍ରଥମଜାତ ଶସ୍ୟ, ଦ୍ରାକ୍ଷାରସ, ତୈଳ, ମଧୁ ଓ କ୍ଷେତ୍ରୋତ୍ପନ୍ନ ସକଳ ଦ୍ରବ୍ୟ ଆଣିଲେ; ଆଉ ସେମାନେ ପ୍ରଚୁର ରୂପେ ସକଳ ଦ୍ରବ୍ୟର ଦଶମାଂଶ ଆଣିଲେ।

6 ପୁଣି, ଯିହୁଦାର ନଗର ସମୂହରେ ବାସକାରୀ ଇସ୍ରାଏଲ ଓ ଯିହୁଦାର ସନ୍ତାନମାନେ ମଧ୍ୟ ଗୋମେଷର ଦଶମାଂଶ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ଦ୍ରବ୍ୟାଦିର ଦଶମାଂଶ ଆଣି ରାଶି ରାଶି କରି ଥୋଇଲେ।

7 ତୃତୀୟ ମାସରେ ସେମାନେ ସେହି ରାଶି କରିବାକୁ ଆରମ୍ଭ କରି ସପ୍ତମ ମାସରେ ତାହା ସମାପ୍ତ କଲେ।

8 ଏଉତ୍ତାରେ ହିଜକିୟ ଓ ଅଧିପତିମାନେ ସେହି ରାଶି ଦେଖିବାକୁ ଆସି ସଦାପ୍ରଭୁଙ୍କର ଓ ତାହାଙ୍କ ଲୋକ ଇସ୍ରାଏଲର ଧନ୍ୟବାଦ କଲେ।

9 ସେତେବେଳେ ହିଜକିୟ ସେହି ସକଳ ରାଶି ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରନ୍ତେ,

10 ସାଦୋକ ବଂଶୀୟ ପ୍ରଧାନ ଯାଜକ ଅସରୀୟ ତାଙ୍କୁ ଉତ୍ତର କରି କହିଲା, ଲୋକମାନେ ସଦାପ୍ରଭୁଙ୍କ ଗୃହକୁ ଉପହାର ଆଣିବା ପାଇଁ ଆରମ୍ଭ କରିବା ସମୟଠାରୁ ଆମ୍ଭେମାନେ ଭୋଜନ କରିଅଛୁ ଓ ତୃପ୍ତ ହୋଇଅଛୁ ଓ ପ୍ରଚୁର ଅବଶିଷ୍ଟ ରଖିଅଛୁ; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିଅଛନ୍ତି; ତେଣୁ ଯାହା ଅବଶିଷ୍ଟ ରହିଅଛି, ତାହା ଏହି ବୃହତ୍ ଦ୍ରବ୍ୟରାଶି।

11 ତହିଁରେ ହିଜକିୟ ସଦାପ୍ରଭୁଙ୍କ ଗୃହରେ କେତେକ କୋଠରୀ ପ୍ରସ୍ତୁତ କରିବାକୁ ଆଜ୍ଞା କଲେ; ତହୁଁ ସେମାନେ ତାହା ପ୍ରସ୍ତୁତ କଲେ।

12 ଏଉତ୍ତାରେ ଲୋକମାନେ ବିଶ୍ୱସ୍ତ ରୂପେ ଉପହାର, ଦଶମାଂଶ ଓ ପବିତ୍ରୀକୃତ ଦ୍ରବ୍ୟ ଆଣିଲେ; ଆଉ ତହିଁ ଉପରେ ଲେବୀୟ କନାନୀୟ ଅଧ୍ୟକ୍ଷ ଥିଲା ଓ ତାହାର ଭାଇ ଶିମୀୟି ଦ୍ୱିତୀୟ ଥିଲା।

13 ପୁଣି, ଯିହୀୟେଲ ଓ ଅସସୀୟ, ନହତ୍‍, ଅସାହେଲ୍‍, ଯିରେମୋତ୍‍, ଯୋଷାବଦ୍‍, ଇଲୀୟେଲ, ଯିଷ୍ମଖୀୟ, ମାହତ୍‍, ବନାୟ, ଏମାନେ ହିଜକିୟ ରାଜାଙ୍କର ଓ ପରମେଶ୍ୱରଙ୍କ ଗୃହାଧ୍ୟକ୍ଷ ଅସରୀୟର ନିଯୁକ୍ତି ଦ୍ୱାରା କନାନୀୟ ଓ ତାହାର ଭ୍ରାତା ଶିମୀୟିର ହସ୍ତାଧୀନରେ କାର୍ଯ୍ୟଶାସକ ଥିଲେ।

14 ଆଉ, ଲେବୀୟ ଯିସ୍ନାର ପୁତ୍ର କୋରି, ଯେ ପୂର୍ବ ଦିଗ ଦ୍ୱାରପାଳ ଥିଲା, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଓ ମହାପବିତ୍ର ବସ୍ତୁ ବିତରଣ କରିବା ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଉପରେ ନିଯୁକ୍ତ ହେଲା।

15 ପୁଣି, ତାହାର ଅଧୀନରେ ଏଦନ୍‍, ମିନ୍ୟାମୀନ, ଯେଶୂୟ, ଶମୟୀୟ, ଅମରୀୟ ଓ ଶଖନୀୟ, ଏମାନେ ଯାଜକମାନଙ୍କ ନାନା ନଗରରେ ଆପଣାମାନଙ୍କର ସାନ ବଡ଼ ଭାଇମାନଙ୍କୁ ପାଳି ଅନୁସାରେ ଦେବା ପାଇଁ ଆପଣା ଆପଣା ନିରୂପିତ ପଦରେ ରହିଲେ;

16 ସେମାନଙ୍କ ବ୍ୟତୀତ ଯେଉଁମାନେ ପ୍ରତିଦିନର କର୍ତ୍ତବ୍ୟତାର ପ୍ରୟୋଜନାନୁସାରେ ପାଳିକ୍ରମେ ଆପଣା ଆପଣା ରକ୍ଷଣୀୟ ସେବା ନିମନ୍ତେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କଲେ, ଏପରି ତିନି ବର୍ଷ ଓ ତତୋଧିକ ବୟସ୍କ ପୁରୁଷ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ;

17 ଆଉ, ଆପଣା ଆପଣା ପିତୃବଂଶାନୁସାରେ ଯାଜକମାନେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ବଂଶାବଳୀ କ୍ରମେ ସେମାନଙ୍କ ରକ୍ଷଣୀୟ ଓ ପାଳି ଅନୁସାରେ ଗଣିତ ହୋଇଥିଲେ;

18 ପୁଣି ସମଗ୍ର ସମାଜ ମଧ୍ୟରେ ଲୋକମାନଙ୍କର ଶିଶୁ, ଭାର୍ଯ୍ୟା ଓ ପୁତ୍ର କନ୍ୟାମାନେ ବଂଶାବଳୀ କ୍ରମେ ଗଣିତ ହୋଇଥିଲେ; କାରଣ ସେମାନେ ଆପଣା ଆପଣା ନିରୂପିତ କାର୍ଯ୍ୟରେ ପବିତ୍ରତାରେ ଆପଣାମାନଙ୍କୁ ପବିତ୍ର କଲେ;

19 ମଧ୍ୟ ହାରୋଣଙ୍କର ଯେଉଁ ସନ୍ତାନ-ଯାଜକମାନେ ଆପଣା ଆପଣା ନଗରସ୍ଥ ତଳିଭୂମିର କ୍ଷେତ୍ରରେ ବାସ କଲେ, ସେମାନଙ୍କ ପ୍ରତ୍ୟେକ ନଗରରେ ଯାଜକମାନଙ୍କ ମଧ୍ୟରେ ସମସ୍ତ ପୁରୁଷଙ୍କୁ ଓ ଲେବୀୟମାନଙ୍କ ମଧ୍ୟରେ ବଂଶାବଳୀ କ୍ରମେ ଗଣିତ ସମସ୍ତଙ୍କୁ ଅଂଶ ଦେବା ପାଇଁ ଲୋକେ ନାମରେ ନିର୍ଣ୍ଣୀତ ହେଲେ।

20 ହିଜକିୟ ଯିହୁଦାର ସର୍ବତ୍ର ଏପ୍ରକାର କଲେ; ପୁଣି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ଓ ବିଶ୍ୱସ୍ତତାର କର୍ମ କଲେ।

21 ଆଉ, ସେ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କରିବା ନିମନ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟ, ପୁଣି ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧରେ ଯେ ଯେ କାର୍ଯ୍ୟ ଆରମ୍ଭ କଲେ, ତାହାସବୁ ଆପଣା ସର୍ବାନ୍ତଃକରଣ ସହିତ କରି କୃତକାର୍ଯ୍ୟ ହେଲେ।