1 Thessalonians 1 in Oriya

1 ପାଉଲ, ସିଲ୍ୱାନ ଓ ତୀମଥି ପିତା ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

2 ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ସହିଷ୍ଣୁତା ବିଷୟ ନିରନ୍ତର ସ୍ମରଣ କରି,

3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ;

4 କାରଣ ହେ ଇଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,

5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।

6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,

7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ।

8 କାରଣ ଥେସଲନୀକୀୟ ବିଶ୍ୱାସୀମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଇଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।

9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କ'ଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କର ସେବା କରିବା ନିମନ୍ତେ,

10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ ସେହି ଯୀଶୁଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା।