1 Corinthians 9 in Oriya

1 ମୁଁ କ'ଣ ସ୍ୱାଧୀନ ନୁହେଁ ? ମୁଁ କ'ଣ ଜଣେ ପ୍ରେରିତ ନୁହେଁ ? ମୁଁ କ'ଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ଦର୍ଶନ କରି ନାହିଁ ? ତୁମ୍ଭେମାନେ କ'ଣ ପ୍ରଭୁଙ୍କଠାରେ ମୋହର କୃତ କର୍ମ ନୁହଁ ?

2 ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।

3 ମୋହର ସମାଲୋଚକମାନଙ୍କୁ ମୋହର ଉତ୍ତର ଏହି।

4 ଭୋଜନପାନ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ?

5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ?

6 କିମ୍ବା ଜୀବିକା ନିର୍ବାହର ପରିଶ୍ରମ ପରିତ୍ୟାଗ କରିବାକୁ କ'ଣ କେବଳ ମୋହର ଓ ବର୍ଣ୍ଣବ୍ବାଙ୍କର ଅଧିକାର ନାହିଁ ?

7 କିଏ ନିଜ ବ୍ୟୟରେ କେବେ ସୈନିକବୃତ୍ତି କରେ ? କିଏ ଦ୍ରାକ୍ଷାକ୍ଷେତ୍ର କରି ସେଥିର ଫଳ ଭୋଜନ ନ କରେ ? ଅବା କିଏ ପଶୁପଲ ପାଳନ କରି ପଲର ଦୁଗ୍ଧ ପାନ ନ କରେ ?

8 ମୁଁ ମନୁଷ୍ୟ ଭାବରେ କ'ଣ ଏହି ସବୁ କଥା କହୁଅଛି ? ମୋଶାଙ୍କ ବ୍ୟବସ୍ଥା ମଧ୍ୟ କ'ଣ ଏହି ସବୁ କଥା କୁହେ ନାହିଁ ?

9 କାରଣ ମୋଶାଙ୍କ ବ୍ୟବସ୍ଥାରେ ଏହା ଲେଖା ଅଛି, “ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ।” ଈଶ୍ୱର କ'ଣ ବଳଦ ବିଷୟରେ ଚିନ୍ତା କରନ୍ତି ?

10 ସେ କ'ଣ କେବଳ ଆମ୍ଭମାନଙ୍କ ନିମନ୍ତେ ଏହା କହନ୍ତି ନାହିଁ ? ହଁ ଆମ୍ଭମାନଙ୍କ ନିମନ୍ତେ ଏହା ଲିଖିତ ହୋଇଅଛି, ଯେପରି ଯେ ଚାଷ କରେ, ଆଶାରେ ତାହାର ଚାଷ କରିବା ଉଚିତ୍, ଆଉ ଯେ ବେଙ୍ଗଳା ପକାଏ, ଭାଗ ପାଇବା ଆଶାରେ ତା'ର ବେଙ୍ଗଳା ପକାଇବା ଉଚିତ୍।

11 ଯଦି ଆମ୍ଭେମାନେ ତୁମ୍ଭମାନଙ୍କ ନିମନ୍ତେ ପାରମାର୍ଥିକ ବୀଜ ବୁଣିଅଛୁ, ତେବେ ତୁମ୍ଭମାନଙ୍କର ଐହିକ ଶସ୍ୟ ଛେଦନ କଲେ କ'ଣ ଗୁରୁତର ବିଷୟ ?

12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କ'ଣ ଆହୁରି ଅଧିକ ନୋହୁଁ ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।

13 ଯେଉଁମାନେ ମନ୍ଦିରରେ ସେବା କରନ୍ତି, ସେମାନେ ଯେ ମନ୍ଦିରରୁ ଖାଦ୍ୟ ପାଆନ୍ତି, ପୁଣି, ଯେଉଁମାନେ ବେଦିର ସେବାରେ ନିବିଷ୍ଟ ରହନ୍ତି, ସେମାନେ ଯେ ବେଦୀ ସହିତ ଅଂଶୀ ହୁଅନ୍ତି, ଏହା କ'ଣ ଜାଣ ନାହିଁ ?

14 ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।

15 କିନ୍ତୁ ମୁଁ ଏହି ସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋ' ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହି ସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।

16 କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।

17 କାରଣ ଯଦି ମୁଁ ସ୍ୱେଚ୍ଛାରେ ଏହା କରେ, ତେବେ ମୋହର ପୁରସ୍କାର ଅଛି; କିନ୍ତୁ ଯଦି ସ୍ୱେଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋ'ଠାରେ ସମର୍ପିତ ହୋଇଅଛି।

18 ତେବେ ମୋହର ପୁରସ୍କାର କ'ଣ ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।

19 କାରଣ ଯେପରି ମୁଁ ଅଧିକସଂଖ୍ୟକ ଲୋକ ଲାଭ କରି ପାରେ, ଏଥିପାଇଁ ମୁଁ କାହାରି ଅଧୀନ ନ ହେଲେ ହେଁ ନିଜକୁ ସମସ୍ତଙ୍କ ଦାସ କଲି।

20 ଯେପରି ମୁଁ ଯିହୂଦୀମାନଙ୍କୁ ଲାଭ କରି ପାରେ, ଏଥିପାଇଁ ଯିହୂଦୀମାନଙ୍କ ନିକଟରେ ମୁଁ ଯିହୂଦୀ ପରି ହେଲି; ଯେପରି ମୋଶାଙ୍କ ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥା ଅଧୀନର ପରି ହେଲି।

21 ଯେପରି ମୁଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଇଶ୍ବରଙ୍କ ମୋଶାଙ୍କ ବ୍ୟବସ୍ଥାବିହୀନ ନ ହୋଇ ଖ୍ରୀଷ୍ଟଙ୍କ ମୋଶାଙ୍କ ବ୍ୟବସ୍ଥାର ଅନୁଗତ ହେଲେ ହେଁ ମୋଶାଙ୍କ ବ୍ୟବସ୍ଥାବିହୀନ ଲୋକମାନଙ୍କ ନିକଟରେ ମୋଶାଙ୍କ ବ୍ୟବସ୍ଥାବିହୀନ ପରି ହେଲି।

22 ଯେପରି ମୁଁ ଦୁର୍ବଳ ମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ଦୁର୍ବଳମାନଙ୍କ ନିକଟରେ ଦୁର୍ବଳ ପରି ହେଲି; ଯେପରି ମୁଁ ଯେକୌଣସି ପ୍ରକାରେ କେତେକଙ୍କୁ ରକ୍ଷା କରି ପାରେ, ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଅଛି।

23 ମୁଁ ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହୁଏ, ଏଥିପାଇଁ ମୁଁ ସୁସମାଚାର ନିମନ୍ତେ ସବୁ କରେ।

24 ଯେଉଁମାନେ ରଙ୍ଗଭୂମିରେ ଦୌଡ଼ନ୍ତି, ସେମାନେ ସମସ୍ତେ ଦୌଡ଼ନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ, ଏହା କି ତୁମ୍ଭେମାନେ ଜାଣ ନାହିଁ ? ତୁମ୍ଭେମାନେ ଯେପରି ପଣ ପାଇବ, ଏଥିପାଇଁ ସେହିପରି ଦୌଡ଼।

25 ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ, ସେ ସମସ୍ତ ବିଷୟରେ ପରିମିତଭୋଗୀ ହୁଏ; ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି; ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ।

26 ଅତଏବ ମୁଁ ଦୌଡ଼ୁଅଛି, କିନ୍ତୁ ବିନାଲକ୍ଷ୍ୟରେ ନୁହେଁ, ମୁଁ ମୁଷ୍ଟିଯୁଦ୍ଧ କରୁଅଛି, କିନ୍ତୁ ଶୂନ୍ୟକୁ ଆଘାତ କରିବା ଲୋକ ପରି ନୁହେଁ।

27 ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି।