1 Corinthians 13 in Oriya

1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟ କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି।

2 ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ।

3 ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ।

4 ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ,

5 ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ,

6 ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ;

7 ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ।

8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହି ସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ।

9 କାରଣ ଆମ୍ଭେମାନେ ଆଂଶିକ ଭାବେ ଜାଣୁ ଓ ଆଂଶିକ ଭାବେ ଭାବବାଣୀ କହୁ।

10 କିନ୍ତୁ ସିଦ୍ଧ ବିଷୟ ଉପସ୍ଥିତ ହେଲେ ଆଂଶିକ ବିଷୟର ଲୋପ ହେବ।

11 ଶିଶୁ ଥିବା ସମୟରେ ମୁଁ ଶିଶୁ ପରି କଥା କହୁଥିଲି, ଶିଶୁ ପରି ଭାବୁଥିଲି, ଶିଶୁ ପରି ବିଚାର କରୁଥିଲି; ବୟସପ୍ରାପ୍ତ ହୁଅନ୍ତେ ମୁଁ ଶିଶୁର ବିଷୟସବୁ ପରିତ୍ୟାଗ କଲି।

12 କାରଣ ଏବେ ଆମ୍ଭେମାନେ ନିଗୂଢ଼ ବାକ୍ୟରୂପ ଦର୍ପଣର ସାହାଯ୍ୟରେ ଦେଖୁଅଛୁ, କିନ୍ତୁ ସେତେବେଳେ ମୁଖାମୁଖି ହୋଇ ଦେଖିବା; ଏତେବେଳେ ମୁଁ ଆଂଶିକ ଭାବେ ଜାଣୁଅଛି, କିନ୍ତୁ ସେତେବେଳେ, ମୁଁ ଯେପରି ପରିଚିତ, ସେହିପରି ମଧ୍ୟ ପରିଚୟ ପାଇବି।

13 ଅତଏବ ବିଶ୍ୱାସ, ଭରସା, ପ୍ରେମ, ଏହି ତିନି ସ୍ଥାୟୀ ଅଟେ, ଆଉ ଏମାନଙ୍କ ମଧ୍ୟରେ ପ୍ରେମ ଉତ୍କୃଷ୍ଟ।