1 Chronicles 18 in Oriya

1 ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଓ ତହିଁର ଉପନଗରସକଳ ହରଣ କଲେ।

2 ତହିଁ ଉତ୍ତାରେ ସେ ମୋୟାବୀୟମାନଙ୍କୁ ପରାସ୍ତ କଲେ; ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ।

3 ଆହୁରି ସୋବାର ରାଜା ହଦରେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ସ୍ଥାପନ କରିବାକୁ ଯିବା ସମୟରେ ଦାଉଦ ତାହାକୁ ହମାତ୍‍ ପର୍ଯ୍ୟନ୍ତ ପରାସ୍ତ କଲେ।

4 ପୁଣି, ଦାଉଦ ତାହାଠାରୁ ଏକ ସହସ୍ର ରଥ ଓ ସାତ ସହସ୍ର ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ;

5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ରାଜା ହଦରେଷରକୁ ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।

6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି, ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଭେଟି ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁ ଆଡ଼େ ଗଲେ; ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

7 ଆଉ, ଦାଉଦ ହଦରେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।

8 ପୁଣି, ଦାଉଦ ହଦରେଷରର ଅଧିକାରସ୍ଥ ଟିଭତ୍‍ ଓ କୂନ୍‍ ନଗରରୁ ଅଧିକ ପରିମାଣର ପିତ୍ତଳ ଆଣିଲେ, ତଦ୍ଦ୍ୱାରା ଶଲୋମନ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଓ ଦୁଇ ସ୍ତମ୍ଭ ଓ ପିତ୍ତଳମୟ ପାତ୍ରସକଳ ନିର୍ମାଣ କଲେ।

9 ଏଥିଉତ୍ତାରେ ଦାଉଦ ସୋବାର ରାଜା ହଦରେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତ୍‍ର ରାଜା ତୟି ଶୁଣନ୍ତେ,

10 ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ପାଇଁ ଓ ହଦରେଷରର ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ପରାସ୍ତ କରିବା ସକାଶୁ ତାଙ୍କର ଧନ୍ୟବାଦ କରିବା ପାଇଁ ସେ ଆପଣା ପୁତ୍ର ହଦୋରାମକୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦରେଷରର ତୟି ସଙ୍ଗେ ଯୁଦ୍ଧ ଥିଲା; ଆଉ ହଦୋରାମ ସହିତ ସୁନା ଓ ରୂପା ଓ ପିତ୍ତଳର ସର୍ବପ୍ରକାର ପାତ୍ର ଥିଲା।

11 ଦାଉଦ ରାଜା ଇଦୋମ ଓ ମୋୟାବ ଓ ଅମ୍ମୋନ ସନ୍ତାନଗଣ ଓ ପଲେଷ୍ଟୀୟଗଣ ଓ ଅମାଲେକ ପ୍ରଭୃତି ସମସ୍ତ ଗୋଷ୍ଠୀଠାରୁ ଯେଉଁ ସୁନା ଓ ରୂପା ଆଣିଥିଲେ ତହିଁ ସଙ୍ଗେ ଏହିସବୁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ।

12 ଆହୁରି ସରୁୟାର ପୁତ୍ର ଅବୀଶୟ ଲବଣ-ଉପତ୍ୟକାରେ ଅଠର ହଜାର ଇଦୋମୀୟ ଲୋକଙ୍କୁ ବଧ କଲା।

13 ଆଉ ସେ ଇଦୋମରେ ପ୍ରହରୀ-ଦଳ ସ୍ଥାପନ କଲା; ତହିଁରେ ଇଦୋମୀୟ ସମସ୍ତ ଲୋକ ଦାଉଦଙ୍କର ଦାସ ହେଲେ। ପୁଣି, ଦାଉଦ ଯେଉଁ ଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

14 ଏହିରୂପେ ଦାଉଦ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ ଓ ଆପଣାର ସମସ୍ତ ଲୋକଙ୍କ ପ୍ରତି ବିଚାର ଓ ନ୍ୟାୟ କଲେ।

15 ପୁଣି, ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଆଉ ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ-ଲେଖକ ଥିଲା।

16 ପୁଣି, ଅହୀଟୂବର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ଆଉ, ଶାବ୍‍ଶା ଲେଖକ ଥିଲା।

17 ପୁଣି, ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା; ଆଉ ଦାଉଦଙ୍କର ପୁତ୍ରମାନେ ରାଜାଙ୍କର ନିକଟବର୍ତ୍ତୀ ପ୍ରଧାନ ଥିଲେ।