1 Chronicles 14 in Oriya

1 ଏଥିଉତ୍ତାରେ ସୋରର ରାଜା ହୀରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା।

2 ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା।

3 ପୁଣି, ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ।

4 ଯିରୂଶାଲମରେ ତାଙ୍କର ଯେଉଁ ଯେଉଁ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୁୟ, ଶୋବବ, ନାଥନ, ଶଲୋମନ,

5 ଯିଭର, ଇଲୀଶୂୟ, ଇଲ୍‍ପେଲଟ୍‍,

6 ନୋଗହ, ନେଫଗ, ଯାଫୀୟ,

7 ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍‍।

8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ।

9 ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ।

10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କ'ଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କ'ଣ ସେମାନଙ୍କୁ ମୋ' ହସ୍ତରେ ସମର୍ପଣ କରିବ ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”

11 ତହୁଁ ସେମାନେ ବାଲ୍‍-ପରାସୀମ୍‍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋ' ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍‍-ପରାସୀମ୍‍” ରଖିଲେ।

12 ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି, ଦାଉଦ ଆଜ୍ଞା କରନ୍ତେ, ସେହିସବୁ ଅଗ୍ନିରେ ଦଗ୍ଧ କରାଗଲା।

13 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ।

14 ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ସେମାନଙ୍କ ପଶ୍ଚାତ୍‍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।

15 ପୁଣି, ତୁମ୍ଭେ ତୂତବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ୱର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।”

16 ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେହିପରି କଲେ; ପୁଣି, ସେମାନେ ଗିବୀୟୋନ୍‍ଠାରୁ ଗେଷର୍‍ ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ।

17 ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବ ଦେଶରେ ବ୍ୟାପିଗଲା; ପୁଣି, ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।