1 Chronicles 13 in Oriya

1 ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ।

2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, “ଯଦି ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯଦି ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମି-ବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।

3 ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ; କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତହିଁର ଅନ୍ୱେଷଣ କରି ନାହୁଁ।”

4 ତହିଁରେ ସମଗ୍ର ସମାଜ ସେହିପରି କରିବେ ବୋଲି କହିଲେ; କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା।

5 ତହୁଁ କିରୀୟତ୍‍-ଯୀୟାରୀମରୁ ପରମେଶ୍ୱରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।

6 ଆଉ କିରୂବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ୱରଙ୍କ ସିନ୍ଦୁକକୁ ଯିହୁଦାର ଅଧିକାରସ୍ଥ ବାଲାରୁ, ଅର୍ଥାତ୍‍, କିରୀୟତ୍‍-ଯୀୟାରୀମରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେହି ସ୍ଥାନକୁ ଗଲେ।

7 ପୁଣି, ସେମାନେ ଗୋଟିଏ ନୂତନ ଶଗଡ଼ରେ ପରମେଶ୍ୱରଙ୍କ ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାର କରି ବୋହି ଆଣିଲେ; ଆଉ ଉଷ ଓ ଅହୀୟୋ ଶଗଡ଼ ଚଳାଇଲେ।

8 ପୁଣି, ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ୱରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ।

9 ଆଉ ସେମାନେ କୀଦୋନ୍‍ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା।

10 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ସକାଶୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ୱରଙ୍କ ସାକ୍ଷାତରେ ମଲା।

11 ପୁଣି, ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ; ଏଣୁ ସେ ସେହି ସ୍ଥାନର ନାମ “ପେରସ-ଉଷ” ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।

12 ଆଉ ଦାଉଦ ସେହି ଦିନ ପରମେଶ୍ୱରଙ୍କ ବିଷୟରେ ଭୟ ପାଇ କହିଲେ, “ମୁଁ କିପରି ପରମେଶ୍ୱରଙ୍କ ସିନ୍ଦୁକ ମୋ' ନିକଟକୁ ଗୃହକୁ ଆଣିବି ?”

13 ତହୁଁ ଦାଉଦ ଦାଉଦ-ନଗରକୁ ଆପଣା ନିକଟକୁ ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ୱସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ।

14 ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ୍‍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି, ସଦାପ୍ରଭୁ ଓବେଦ୍‍-ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ।